ଭୁବନେଶ୍ବର,୨ /୧: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ଦଶମ ଶ୍ରେଣୀ ବା ମାଟ୍ରିକ୍ ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ୍ ପରୀକ୍ଷା ଅପ୍ରେଲ୍ ୪ରୁ ଆରମ୍ଭ ହୋଇ ଏହା ମେ’ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଦ୍ୱାଦଶ ତଥା ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ମେ’ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଅପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ’ ୧୪ ପର୍ଯ୍ୟନ୍ତ ଚାଲିବ।
ଜାନୁଆରୀ ୮ରୁ ଏପ୍ରେଲ୍ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଓ ଜାନୁଆରୀ ୮ରୁ ଏପ୍ରେଲ୍ ୨୮ ପର୍ଯ୍ୟନ୍ତ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।