ସମ୍ବଲପୁର,୨ /୧: ଆଜି ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (IIM) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନ୍ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ, ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଭର୍ଚୁଆଲ୍ ମୋଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ‘ଆଇଆଇଏମ୍’ ପ୍ରତିଷ୍ଠା କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ପୂର୍ବ ଭାରତରେ ଓଡ଼ିଶା ଶିକ୍ଷାର ହବ୍ ହେବାକୁ ଯାଉଛି। ଓଡ଼ିଶାକୁ ଶିକ୍ଷାର ହବ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଣୁ ରାଜ୍ୟରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଭର୍ଚ୍ୟୁଆଲ୍ ଭାବେ ଅନୁଷ୍ଠିତ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ୍ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ୍-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିଥିବା ଜଣାଯାଇଛି।