ମହାକାଳପଡ଼ା,୫ /୧(କେଶବ ଚରଣ ନାଥ ) : ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଂଚଳ ଗୋଗୁଆ ଦଳିତ ପଡ଼ା ନିକଟସ୍ଥ ଇଣ୍ଡିଆନ ଅଏଲର କଣ୍ଟ୍ରୋଲ ରୁମ ପରିସରରେ ନୂତନ ଟାଙ୍କି ସ୍ଥାପନ ନେଇ ଅଗଭୀର ଖାତ ଖୋଳା ଚାଲିଥିଲା । ମାତ୍ର ସେହି ଖାତ ଖୋଳୁଥିବା ଠିକାଦାର ପ୍ରାୟତଃ କାର୍ଯ୍ୟ ମାନୁଆଲି କରାଉଥିଲା । ଶିଳ୍ପ ବିହିନ କେନ୍ଦ୍ରାପଡା ଜିଲ୍ଲାର ପ୍ରଚ୍ଛଦ ବେକାରୀ ଅଣକୁଶଳୀ କୃଷି ଶ୍ରମିକ ଶାରଦ ଧାନ କାମ ପରେ ମୁଲ ପାଇଁ ବିପଦ ସଂକୁଳ ଅବସ୍ଥାରେ ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ପରିବାରର ତେଲ ଲୁଣ ଖର୍ଚ୍ଚ ଆଶାରେ ଗୋଗୁଆ ପଂଚାୟତ ଗୁଲଡ଼ିଆ ଗାଁ ର ଖଗେନ ମଣ୍ଡଳ କିଛି ଦିନ ହେବ ଖାତ ଖୋଳି ସନ୍ଧ୍ୟାରେ ଘରକୁ ଫେରୁଥିଲେ ।

ମାତ୍ର ମଙ୍ଗଳବାର ଦିନ ଖାତ ଖୋଳା ଚାଲିଥିବା ବେଳେ ହଠାତ ଖାତରୁ ଅତଡ଼ା ଖସି ପଡିବାରୁ ଖଗେନ ନିଜକୁ ସୁରକ୍ଷିତ ରଖି ନପାରି ମାଟି ତଳେ ଚାପି ହୋଇ ଯାଇଥିଲେ । ଏଭଳି ଅଘଟଣ ଦେଖି ଅନ୍ୟ ଶ୍ରମିକମାନେ ଖଗେନକୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ, କିନ୍ତୁ ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶବକୁ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ପଠାଯାଇଛି । ୧୦ ପ୍ରାଣୀ କୁଟୁମ୍ବଙ୍କର ଏକମାତ୍ର ସାହା ଖଗେନଙ୍କ ମୃତ୍ୟୁ ଖବର ପାଇଁ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପତ୍ନୀ ସୀତା କ୍ଷଣକୁ କ୍ଷଣ ମୁର୍ଚ୍ଛା ଯାଉଛନ୍ତି । ସେପଟେ ଗାଁ ଓ ପଂଚାୟତ ଲୋକେ ଶବ ଫେରିଲେ ଆଶାନୁରୂପକ କ୍ଷତି ପୂରଣ ନ ମିଳିଲେ ରାସ୍ତାରେ ଶବ ରଖି ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଜଣାପଡିଛି ।