ଭୁବନେଶ୍ବର,୬ /୧ : ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ କୋଭିଡ୍ ପ୍ରତିହତ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ରାଜ୍ୟ ଆର୍ଥିକ ସ୍ତରରେ ଗଭୀର ଭାବେ ପ୍ରଭାବିତ ହୋଇଛି। କାମଧନ୍ଦା ଅଭାବରୁ ବହୁ ଲୋକ ରୋଜଗାରରୁ ବଞ୍ଚିତ ହୋଇଛନ୍ତି। ଏବେ କୋଭିଡ୍ କଟକଣା କୋହଳ ହେବା ପରେ ଆର୍ଥିକ ଗତିବିଧିକୁ ଜୋରଦାର କରିବାକୁ ପଡ଼ିବ। କୌଣସି ବି ବିଭାଗ କୋଭିଡ୍ ସଂକ୍ରମଣ ପ୍ରତିହତ ପାଇଁ ଜାରି ହୋଇଥିବା ଏସ୍ଓପି ଯେପରି ଉଲଂଘନ ନ ହୁଏ ସେଥିପ୍ରତି ସଚିବମାନେ ଦୃଷ୍ଟି ଦେବେ। ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବେ। ଏଥିପାଇଁ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ନିୟମିତ ଭାବେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଯୋଗାଯୋଗରେ ଯେପରି ରହିବେ ସେଥିପାଇଁ ସେମାନଙ୍କୁ ପରାମର୍ଶ ଦିଆଯିବ। ଜିଲ୍ଲାସ୍ତରରେ ରୋଜଗାର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି କି ନାହିଁ, ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରି ସେସବୁକୁ ତଦାରଖ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।