ରାଉରକେଲା ଇସ୍ପାତ କାରଖାନା ବିଷାକ୍ତ ଗ୍ୟାସ ଲିକରେ ୪ ଶ୍ରମିକଙ୍କ ମୃତ୍ୟୁ : ୨ ଜଣ ଅଧିକାରୀ ନିଲମ୍ବିତ

ରାଉରକେଲା,୬ /୧ : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ କାରଖାନାର ୨ ଡିଜିଏମ୍‌ ପାହ୍ୟା ଅଧିକାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ୍ ଓ ସିସିଡି ମେକାନିକାଲ ବିଭାଗର ନବେନ୍ଦୁ ଦାଶଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଆରଏସପି ସିଇଓ ଦୀପକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ମୃତକ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ। ସେହିଭଳି ମୃତକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକ୍ସନ ପକ୍ଷରୁ ପ୍ରତ୍ୟେକ ମୃତକ ପରିବାରକୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧି, ଠିକା ସଂସ୍ଥା ଓ ଆରଏସପି କର୍ତ୍ତୃପକ୍ଷଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଅଘଟଣା ଘଟିଥିଲା। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଏମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ପଣ୍ଡା (୫୧), ଅଭିମନ୍ୟୁ ସାହା (୩୩), ରବୀନ୍ଦ୍ର ସାହୁ (୫୯) ଏବଂ ଗଣେଶ ଚନ୍ଦ୍ର ପହିଲ୍ (୫୫)ଙ୍କ ମୃତ୍ୟୁ ହୋଇଥିଲା ।