‘ବଚ୍ଚନ ପାଣ୍ଡେ’ରେ ଆସିଲା ଅକ୍ଷୟ କୁମାରଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ, ୭/୧ : ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ବଚ୍ଚନ ପାଣ୍ଡେରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସୁଛନ୍ତି ଏବଂ ଗତକାଲିଠାରୁ ଜୟସଲମେରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଜୟସଲମେରରେ ଫିଲ୍ମର ସୁଟିଂ ପ୍ରାୟ ଦୁଇମାସ ଧରି ଚାଲିବ । ଫିଲ୍ମରେ ଅକ୍ଷୟ କୁମାରଙ୍କ ଫାଷ୍ଟ ଲୁକ୍ ପ୍ରକାଶ ପାଇଛି। ଯେଉଁଥିରେ ସେ ଏକ ଦେଶୀ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖା ଦେଇଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ମାଣ ସାଜିଦ ନାଦିଆଡୱାଲା କରୁଛନ୍ତି। ଏହା ଅକ୍ଷୟ ଏବଂ ସାଜିଦଙ୍କ ଦଶମ ଚଳଚ୍ଚିତ୍ର । ଫରହାଦ୍ ସାମଜୀ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରର ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ କ୍ରିତି ସାନନ ଏବଂ ଅର୍ଶଦ ୱାର୍ସି ଅଛନ୍ତି ।

କରୋନା ଜୀବାଣୁ କାରଣରୁ ଯେଉଁଠାରେ ଅଧିକାଂଶ କଳାକାର ସୁଟିଂ କରିବାକୁ ଅମଙ୍ଗ ହେଉଛନ୍ତି ଏବଂ ଘରୁ ବାହାରକୁ ଯିବାକୁ ସାହସ କରୁନାହାନ୍ତି, ସେଠାରେ ଅକ୍ଷୟ କୁମାର ଲଗାତାର ଭାବରେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ‘ବେଲବଟମ୍’ ଫିଲ୍ମର ସୁଟିଂ ଶେଷ କରି ଏବେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂ ଆରମ୍ଭ କରିଛନ୍ତି।

ଫିଲ୍ମର କାହାଣୀ କ’ଣ ?
ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟର ଏବଂ କ୍ରିତି ସାନନ ସାମ୍ବାଦିକ ଭାବେ ନଜର ଆସିବେ । କାହାଣୀ ଅନୁସାରେ ଅକ୍ଷୟ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବାକୁ ଚାହୁଁଥିବାବେଳେ କ୍ରିତି ହିରୋଇନ୍ ହେବାକୁ ଚାହୁଁଛନ୍ତି। ଚଳଚ୍ଚିତ୍ର ପ୍ରତି ଉଭୟଙ୍କ ଏହି କ୍ରେଜ୍ ଉଭୟଙ୍କୁ ନିକଟତର କରୁଛି । ଏହି ଫିଲ୍ମରେ କମେଡି ସହିତ ଭରପୁର ଆକ୍ସନ ଅଛି ।