ଆମେରିକା ସଂସଦ ଭବନରେ ଧ‌ସେଇ ପଶିଲେ ଟ୍ରମ୍ପଙ୍କ ସମର୍ଥକ

ୱାସିଂଟନ,୮ /୧ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କରିବାକୁ ରାଜି ନଥିବା ଡୋନାଲଡ୍‌ ଟ୍ରମ୍ପଙ୍କ ବିଦ୍ରୋହ ଯୋଗୁଁ ବ୍ୟାପକ ହିଂସାକାଣ୍ଡ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଟ୍ରମ୍ପଙ୍କ ଆହ୍ବାନରେ ତାଙ୍କର ହଜାର ହଜାର ସମର୍ଥକ ୱାସିଂଟନ ସ୍ଥିତ କ୍ୟାପିଟଲ ବିଲ୍‌ଡିଂ ବା ସଂସଦ ଭବନରେ ଧ‌େ‌ସଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଇଲେକ୍‌ଟୋରାଲ କଲେଜ ଭୋଟ୍‌ର ଗଣତି ଚାଲିଥିବା ବେଳେ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି। ପୁଲିସ ଏବଂ ଟ୍ରମ୍ପ୍‌ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ଜଣେ ମହିଳାଙ୍କର ମଧ୍ୟ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ସଂସଦ ଭବନରେ ଏଭଳି ହିଂସା ଯୋଗୁଁ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ପ୍ରମାଣପତ୍ର ଦେବାରେ ବିଳମ୍ବ ଘଟିଥିଲା। ଆମେରିକା କଂଗ୍ରେସର ସଦସ୍ୟମାନଙ୍କ ଇଲେକ୍‌ଟୋରାଲ ଭୋଟ୍‌ ଗଣତିକୁ ଭଣ୍ଡୁର କରିବା ପାଇଁ ଏହା ଏକ ଯୋଜନାବଦ୍ଧ ହିଂସା ଥିଲା ବୋଲି ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ କୁହାଯାଇଛି। ଟ୍ରମ୍ପ୍‌ ସମର୍ଥକମାନେ ଯେଭଳି ଭାବେ ସୁରକ୍ଷା ବ୍ୟବସ୍ଥାକୁ ଧ୍ବସ୍ତ କରି କ୍ୟାପିଟଲ ବିଲ୍‌ଡିଂକୁ ନିଜ ଅକ୍ତିଆରକୁ ନେବାକୁ ପ୍ରୟାସ କରିଥିଲେ ତାହା ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ବଡ଼ ଝଟ୍‌କା ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ବିଲ୍‌ କ୍ଲିଣ୍ଟନ୍‌ କହିଛନ୍ତି । କ୍ୟାପିଟଲ ଭବନରେ ଥିବା ଅନେକ କାର୍ଯ୍ୟାଳୟକୁ ଦଙ୍ଗାକାରୀମାନେ ଛାରଖାର କରିଦେଇଛନ୍ତି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା) ଏବଂ ସିନେଟ୍‌ ରହିଥିବା କ୍ୟାପିଟଲ ଭବନକୁ ଏହି ଘଟଣା ପରେ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି।