ମା’ ହେଲା ନାବାଳିକା ଛାତ୍ରୀ : ଅଭିଯୁକ୍ତ ଗିରଫ

ରାୟଗଡ଼ା,୧୦ /୧ : ରାୟଗଡ଼ାରେ ଜଣେ ନାବାଳିକା ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ଶନିବାର ନାବାଳିକା ଜଣକ କନ୍ୟା ସନ୍ତାନ ପ୍ରସବ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା ଜଣେ ଯୁବକକୁ ପୁଲିସ ଆଜି ଗିରଫ କରିଛି।

ରାମନାଗୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ଗତ ଶନିବାର ଡାକ୍ତରଖାନା ନେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ନାବାଳିକା ଜଣକ ରାସ୍ତାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ପରିବାର ଲୋକେ ନାବାଳିକାଙ୍କ ସହିତ ନବଜାତ କନ୍ୟାକୁ ନିଜ ଘରକୁ ନେଇଆସିଥିଲେ। ଗାଁର କିଛି ଲୋକ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ନାବାଳିକାଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ସେହି ଗାଁର ଜଣେ ଯୁବକ ବୃନ୍ଦାବନ କାଡ୍ରାକାକୁ ଥାନାକୁ ନେଇ ଅଟକ ରଖିବା ସହିତ ପଚରାଉଚରା କରିଥିଲା। ପରେ ତା’କୁ ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧ୍ୟକ୍ଷ ରାଜକିଶୋର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଆଜି ପୀଡିତାଙ୍କ ଗାଁକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।