ଅନୁଗୁଳ ଜିଲ୍ଲାରେ ବିଜେପିର ମିଶ୍ରଣ ପର୍ବ : ସ୍ଵାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ, ୧୦/୧: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ କରାଯିବ ବୋଲି ରବିବାର ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଅନେକ ଲୋକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ, ଛେଣ୍ଡିପଦା, ପାଲଲହଡ଼ା, ତାଳଚେରର ଅନେକ କଂଗ୍ରେସ, ବିଜେଡ଼ି, ବିଏସପିର ଶତାଧିକ କର୍ମୀ ତଥା ଅନେକ ଯୁବକ ମାନଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଦଳରେ ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍ କରିବ ।

ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ ପହଁଚାଇବା ସମେତ କାର୍ଯ୍ୟକର୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରିଛନ୍ତି ।