ଜାନୁଆରୀ ୧୪ ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ଭୁବନେଶ୍ଵର, ୧୧/୧: ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିର ମଙ୍ଗଳପୁରରେ ୭୫୬ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ । କରୋନା କଟକଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସାଧାରଣ କାର୍ଯ୍ୟକ୍ରମ । କାଯ୍ୟକ୍ରମରେ ୧୫ରୁ ଅଧିକ ମନ୍ତ୍ରୀ ଓ ୬୦ ବିଧାୟକଙ୍କ ସମେତ ନିଗମର ଅଧ୍ୟକ୍ଷ ଓ ଦଳୀୟ ନେତା ଯୋଗ ଦେବେ। ଏହା ମାଧ୍ୟମରେ ପଶ୍ଚିମ ଓଡିଶାରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନ ଦୁର୍ବଳ ହେଉଥିବାରୁ ବିକାଶ ନାଁରେ ଦଳ ରାଜନୈତିକ ପତିଆରା ଦେଖାଇବାକୁ ଚେଷ୍ଟା କରୁଛି ବୋଲି ବିଜେପି କହିଛି।

କରୋନା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ଅଣ୍ଟା ଭିଡିଛି ବିଜେଡି। ସଭାରେ ୧୫ ମନ୍ତ୍ରୀ,୬୦ରୁ ଅଧିକ ବିଧାୟକଙ୍କ ସମେତ ସରକାରଙ୍କ ଭିଭିନ୍ନ ନିଗମର ଅଧ୍ୟକ୍ଷ ଯୋଗ ଦେବେ। ଏଥି ସହିତ ଜିଲ୍ଲା ଓ ରାଜ୍ୟର ସଙ୍ଗଠନର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏଥିପାଇଁ ସଭା ସ୍ଥଳରେ ୩ଟି ମଞ୍ଚ ପ୍ରସ୍ତୁତ କରାଯିବ। ଜୟପାଟଣା ମଗଂଳପୁର ପମ୍ପ ହାଉସ ପରିସରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୫ ଶହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀ ସାମିଲ ହେବେ। ଜିଲ୍ଲା ର ୩୧୦ ଟି ପଞ୍ଚାୟତରେ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ପୂରା କାର୍ଯ୍ୟକ୍ରମ ତଦାରଖ କରିବା ଲାଗି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଜେଡି ସଂଗଠନ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।