କେନ୍ଦୁପତ୍ର ତୋଳାଳିଙ୍କୁ ୯୨.୩୭ କୋଟି ଟଙ୍କାର ବୋନସ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୧ /୧: କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ଘୋଷଣା କରିଛନ୍ତି। ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳିମାନଙ୍କୁ ସାମିଲ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା। ଏହା ଦ୍ବାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳି, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି।୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଡିବିଟି  ଜରିଆରେ ପୈଠ କରାଯାଇଛି।

ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୯୨.୩୭ କୋଟି ଟଙ୍କାରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା। ଏହାସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ  ମୁଖ୍ୟମନ୍ତ୍ରୀ  ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।