ପିକଅପ ଭ୍ୟାନ୍ କୁ ପଛରୁ ପିଟିଲା ବାଲି ବୋଝେଇ ହାଇୱା, ୩ ଗୁରୁତର

କେନ୍ଦ୍ରାପଡା,୧୩ /୧: କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଅବହେଳାରୁ ନିତିଦିନ ଜାତୀୟ ରାଜପଥ ୫ ନମ୍ବର (କ) ଦେଇ ପାରାଦ୍ୱୀପ ଯାତାୟତ କରୁଥିବା ଅନେକ ମାଲବାହି ଗାଡି ଟ୍ରାଫିକ ନିୟମ ଉଲଘଂନ କରି ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଆହୁରି ମଧ୍ୟ ମାର୍ଶାଘାଇ ଥାନା ଅଂଚଳରେ ଥିବା ଏକାଧିକ ବାଲି ଖାଦାନରୁ ବାଲି ଉଠାଇ ଜାତୀୟ ରାଜପଥରେ ଚାଳକଙ୍କ ବେପରବାୟ ଗାଡି ଚଳାଇ ଅନେକ ସମୟରେ ଦୁର୍ଘଟଣା ଘଟlଉଥିବାର ନଜିର ରହିଛି । ଏହିଭାବେ ମଙ୍ଗଳବାର ସନ୍ଧ୍ୟା ଘଂଟିକା ସମୟରେ ଛତିଆରୁ ପାରାଦ୍ୱୀପ ଅଭିମୁଖେ କାଜୁ ଚୋପା ନେଇ ଯାଉଥିବା OD05AU0054ନମ୍ବର ଯୁକ୍ତ ପିକଅପ ଭ୍ୟାନ୍ ଟି ହଳଦିଆ ଗଡା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଚାଳକ ସମେତ ୩ଜଣ ଗୁରୁତର ହୋଇଛନ୍ତି । ବିପରୀତ ଦିଗରୁ ବିଚଣା ବାଲିଘାଟରୁ ବାଲି ଧରି ଫେରୁଥିବା ହାଇୱା ପିକଅପକୁ ପଛରୁ ପିଟିଦେବାରୁ ବୋଝେଉ ପିକଅପଟି ରାଜପଥ ଉପରେ ପାଲଟିପଡ଼ିଥିଲ। । ବାଲି ଗାଡିଟି ଦୁର୍ଘଟଣା ଘଟାଇବାରୁ ସ୍ଥାନୀୟ ଲୋକେ ଗୁରତର ୩ ଜଣକୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ପଠାଇବା ସହିତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଜେସିବି ଡକାଇ ପାଲଟିଥିବା ପିକଅପକୁ ରାସ୍ତାରୁ ହଟାଇଛନ୍ତି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ମାର୍ଶାଘାଇ ଥାନା ଅଧିନସ୍ଥ ହଳଦିଆ ଗଡା ନିକଟରେ ଘଟି ଥିବାର ଜଣାପଡିଛି ।