କଟକରେ ନେତାଜୀ ସୁଭାଷ ବୋଷଙ୍କ ନାମରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୩/୧: କଟକ ଖାନନଗର ଠାରେ ନେତାଜୀ ସୁଭାଷ ବୋଷଙ୍କ ନାମରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏହି ଟର୍ମିନାଲରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ।

ସୂଚନା ଅନୁଯାୟୀ, ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, କ୍ଲୋକ୍ ରୁମ୍, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ। ଏଥିପାଇଁ ରିଂଗ୍‌ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରାଯିବ। ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର କିଓସ୍କ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ (୫-ଟି) ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।