ଭୁବନେଶ୍ୱର,୧୩ /୧ : ପଦ୍ମଶୀ ଡି. ପ୍ରକାଶ ରାଓଙ୍କର ଆଜି ୬୨ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି କଟକ କାଳିଆବୋଦା ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ବ୍ରେନ୍ ଷ୍ଟୋକ୍ ଯୋଗୁଁ ପଦ୍ମଶ୍ରୀ ରାଓଙ୍କର ବିୟୋଗ ହୋଇଥିବା ନେଇ ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରାଓଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ ପ୍ରକାଶ ରାଓଙ୍କ କାର୍ଯ୍ୟଶୈଳୀ ସବୁଦିନ ପାଇଁ ସ୍ମରଣୀୟ ରହିବ। ସେ କହିଛନ୍ତି, ସ୍ବର୍ଗତ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ପାଇଁ ସ୍ମରଣୀୟ ହୋଇ ରହିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ରାଓଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟ ସମସ୍ତଙ୍କ ପାଇଁ ଉଦାହରଣ ବୋଲି ଟ୍ୱିଟ କରିଛନ୍ତି। ଶ୍ରୀ ମୋଦୀ ତାଙ୍କ କଟକ ଗସ୍ତ ସମୟରେ ପ୍ରକାଶ ରାଓଙ୍କ ସହ ସାକ୍ଷାତ ସମୟର ଏକ ଫଟୋ ପୋଷ୍ଟ କରିବା ସହ ପ୍ରକାଶ ରାଓଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ନିଆରା ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ୨୧୮ ଥର ରକ୍ତଦାନ କରି ଏକ ବିରଳ ରେକର୍ଡର ଅଧିକାରୀ ଥିଲେ । ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ଥିଲେ ବଡ । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ।