ନୂଆଦିଲ୍ଲୀ,୧/୨: ଆଜି କେନ୍ଦ୍ର ବଜେଟ ଉପସ୍ଥାପନ ହେଵା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ କୃଷକମାନେ ମଧ୍ୟ ନାପସନ୍ଦ କରୁଛନ୍ତି । ଭାରତୀୟ କିଷାନ ସଂଗଠନ (ବିକେୟୁ) ନେତା ରାକେଶ ଟିକାୟତ ଏହା ଚାଷୀଙ୍କ ବଜେଟ୍ ନୁହେଁ ବୋଲି କହିଛନ୍ତି। ଟିକାୟତ କହିଛନ୍ତି, ସରକାର ଜମି ବଦଳରେ ଋଣ ଦେଉଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, କୃଷକଙ୍କ ପାଇଁ ସମ୍ମାନ ନିଧି ରାଶି ବୃଦ୍ଧି କରିବା ଆବଶ୍ୟକ । ଛୋଟ ଚାଷୀର ପରିବାର ବଡ଼ । ଛୋଟ ଚାଷୀକୁ ପ୍ରଥମେ ଆଗକୁ ବଢ଼ାଇବା ଆବଶ୍ୟକ । ଚାଷୀକୁ ଏକର ପିଛା ୧୪ ହଜାର ଟଙ୍କା ମିଳିବା ଦରକାର। ସରକାର ଯେତେବେଳେ ଡାକିବେ ଆଲୋଚନା କରିବୁ। ସରକାର ବର୍ଡରରେ କଣ୍ଟାଯୁକ୍ତ ତାର ଲଗାଇଛନ୍ତି। ତେବେ ରାକେଶ ଟିକାୟତ ଗାଜିପୁର ବର୍ଡରରେ କୃଷି ଆଇନ ବିରୋଧରେ କୃଷି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି।
ଆଲୋଚନା ମାଧ୍ୟମରେ ସମାଧାନ ଏବଂ ସମ୍ମାନ ରହିବ। କୃଷକଙ୍କ କମିଟି ଧାର୍ଯ୍ୟ କରିବ, ସରକାର ଯେବେ ଡାକିବେ ଆଲୋଚନା କରିବୁ। ‘ଦେଶରେ କୃଷକ ଯାତ୍ରା ଚାଲୁ ରହିବ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଚତୁର୍ଦିଗରେ ଯାତ୍ରା କରିବୁ। ନାଗପୁର ଜିରୋ ମାଇଲ ଷ୍ଟୋନ୍ରୁ ଆରମ୍ଭ କରିବୁ, ୪୦ ଲକ୍ଷ ଟ୍ରାକ୍ଟର ସାମିଲ ହେବ।’
ସୋମବାର ଟିକାୟତ ଆହୁରି କହିଛନ୍ତି ଯେ, ‘କୃଷକଙ୍କ ପାଇଁ ସରକାର ପୃଥକ ବଜେଟ୍ ଆଣିବା ଦରକାର। କାରଣ କୃଷକଙ୍କ ଅଲଗା ଅଲଗା ସମସ୍ୟା ସମାଧାନ ହୋଇପାରିବ। ଋଣ ମାଫ ପାଇଁ ବି କୃଷକ ଦାବି କରିଥିଲେ। ଏହା ବ୍ୟତୀତ କୃଷକଙ୍କୁ ମାଗଣା ବିଜୁଳୀ ଦେବାକୁ ସରକାର ଏକ ଯୋଜନା ଆଣିବା ଦରକାର। ମନରେଗା ଅଧିନରେ କୃଷି କାର୍ଯ୍ୟ ପାଇଁ ଅଲଗା ଫଣ୍ଡ ଘୋଷଣା କରାଯାଉ।