ତାମିଲନାଡୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୩ ଶ୍ରମିକ ମୃତ

ତାମିଲନାଡୁ, ୨/୨ : ତାମିଲନାଡୁର ମଦୁରାଇରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଫଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୩ ଜଣ ଶ୍ରମିକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଜାରିରହିଛି । ସୋମବାର ଅପରାହ୍ନରେ ମଦୁରାଇର ପଶ୍ଚିମ ବାଦାମପୋକ୍କି ଅଂଚଳରେ ନିର୍ମାଣାଧୀନ ଏକ ଦୁଇ ମହଲା କୋଠା ଉପରେ ଷ୍ଟିଲ ଶଟରିଂ ରଖାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ତାମିଲନାଡୁ ପୋଲିସ ସୂଚନା ଅନୁଯାୟୀ, ଘରର ମାଲିକ ୨ ମହଲା କୋଠାର ରିକନଷ୍ଟ୍ରକସନ କରୁଥିଲେ । ଶ୍ରମିକମାନେ ଛାତ ଉପରେ ଷ୍ଟିଲ ଶଟରିଂ ରଖୁଥିଲେ । ଏହି ସମୟରେ ଏହା ଖସିଯିବା ପରେ ଦୁର୍ଘଟଣା ଘଟିଥିଲା । ସୂଚନା ପାଇ ଅଗ୍ନିଶମ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ ସେତେବେଳକୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।