ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ସବୁ ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିବେ କୋହଲି

ଚେନ୍ନାଇ : ଫେବୃଆରୀ ୫ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଏହି ଚାରି ଟେଷ୍ଟ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଧିନାୟକତ୍ୱ କରିଥିବାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୬୦ଟି ମ୍ୟାଚ୍ ଅଧିନାୟକତ୍ୱର ରେକର୍ଡ ସହ ସମାନ ହେବେ।

ବିରାଟ ଏପର୍ଯ୍ୟନ୍ତ ୫୬ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ସେ ୩୩ଟି ଜିତିଛନ୍ତି, ୧୩ଟି ହାରିଛନ୍ତି ଏବଂ ୧୦ଟି ଡ୍ର ରଖିଛନ୍ତି। ଏହି ସିରିଜ୍ ସମୟରେ ବିରାଟ ଅଷ୍ଟ୍ରେଲିଆର ଷ୍ଟିଭ୍ ୱ (୫୭ ଟେଷ୍ଟ) ଏବଂ ଇଂଲଣ୍ଡର ଆଲାଷ୍ଟର କୁକ୍ (୫୯ ଟେଷ୍ଟ)କୁ ଅତିକ୍ରମ କରିବେ। ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୬୦ଟି ମ୍ୟାଚ ମଧ୍ୟରୁ ୨୭ଟି ଜିତିଥିଲାବେଳେ ୧୮ଟି ପରାଜୟ ଏବଂ ୧୫ଟି ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ବିପକ୍ଷ ଏହି ସିରିଜର ଚାରୋଟି ମ୍ୟାଚ୍ ଖେଳିବା ମାତ୍ରେ ଭାରତ ଟେଷ୍ଟ ଇତିହାସର ୫୫୦ ଟେଷ୍ଟ ମ୍ୟାଚ୍ ଖେଳିବ | ଭାରତ ଏପର୍ଯ୍ୟନ୍ତ ୫୪୬ଟି ଟେଷ୍ଟ ଖେଳିଛି ଯେଉଁଥିରେ ୧୫୯ଟି ଜିତିଛି, ୧୬୮ ହାରିଛି, ଗୋଟିଏ ମ୍ୟାଚ ଟାଇ ରଖିଛି ଏବଂ ୨୧୮ ମ୍ୟାଚ ଡ୍ର ରଖିଛି ।