ବାହାକୁଦ କାଜୁଫିଲଡରେ ଅଗ୍ନିକାଣ୍ଡ ଘଟି ବିପୁଳ କାଜୁଗଛ ନଷ୍ଟ

ମହାକାଳପଡ଼ା,୪ /୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଂଚାୟତ ବାହାକୁଦ ଫେରିଘାଟ ପଟ କାଜୁ ଫିଲଡରେ ବୁଧବାର ଦିନ ଅଗ୍ନିକାଣ୍ଡ ଘଟି ବିପୁଳ କାଜୁଗଛ ଜଳୁଥିବାର ଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ମହାକାଳପଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରି କାଜୁ ନିଗମର ସମ୍ପୃକ୍ତ କାଜୁ ଫିଲଡକୁ ଅଳ୍ପକେ ସୁରକ୍ଷା ଦେଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କାଜୁ ଫିଲଡ ଜଳିବାକୁ ନେଇ ସାଧାରଣରେ ସନ୍ଦେହ ଉପୁଜୁଛି । ଏହି ଅଗ୍ନିକାଣ୍ଡକୁ କେହି କେହି ସ୍ଥାନୀୟ ଜାଳ କାଠ ବେପାରୀଙ୍କ ଅପଚେଷ୍ଟା କହୁଥିବା ବେଳେ ଅନ୍ୟ କେହି ଜାଗା ଜମି ଜବର ଦଖଲକାରୀଙ୍କ ଅପପ୍ରୟାସ ବୋଲି କହୁଛନ୍ତି । ସେପଟେ ଏହି ପୂର୍ବ ଉପକୂଳକୁ ସ୍ଥାନୀୟ ଲୋକଙ୍କ ଭରସାରେ ଆସୁଥିବା ଅଜଣା ଆଗନ୍ତୁକମାନଙ୍କ ବସତି ସ୍ଥାପନ ନିମନ୍ତେ ସଫେଇ ବୋଲି ବୁଦ୍ଧିଜୀବୀ ମାନେ କହନ୍ତି ।