କୌଣସି ଶକ୍ତି ଭାରତର ଏକତା ଭାଙ୍ଗିପାରିବେ ନାହିଁ : ଅମିତ ଶାହା

ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୪/୨: କୃଷି ଆନ୍ଦୋଳନକୁ ନେଇ ଆମେରିକାର ଗାୟିକା ରିହାନା ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ଟିପ୍ପଣୀକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, କୌଣସି ବି ଅପପ୍ରଚାର ଭାରତର ଏକତାକୁ ଭାଙ୍ଗିପାରିବନାହିଁ । ଦେଶ ଲଗାତର ଭାବେ ଆଗକୁ ବଢିଚାଲିଛି, ଯାହାକୁ କେହି ବି ହେଲେ ଅଟକାଇପାରିବେ ନାହିଁ ।

କୃଷକଙ୍କ ଆନ୍ଦୋଳନକୁ ନେଇ ଜଳବାୟୁ କାର୍ଯ୍ୟକର୍ତ୍ତା ରିହାନା, ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ସଂପର୍କୀୟ ମିନା ହାରିସ ଓ ଅନ୍ୟ ପ୍ରମୁଖ ଲୋକେ ଟ୍ୱିଟ୍‌ର ଜରିଆରେ ନିଜ ନିଜର ରାୟ ରଖିଥିଲେ । ଯାହାକୁ ନେଇ ଦେଶରେ ରାଜନୀତି ମାହୋଲ ସରଗରମ ରହିଛି । ଏହି ପରିପେକ୍ଷୀରେ ବୁଧବାର ଦିନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି ଯେ, କୌଣସି ବି ଅପପ୍ରଚାର ଭାରତର ଏକତାକୁ ଭାଙ୍ଗି ପାରିବ ନାହିଁ । ଅପପ୍ରଚାର କରୁଥିବା ଲୋକେ କେବେହେଲେ ସମାଜର ଭଲ କରିନଥାନ୍ତି । ଭାରତ ଏବେ ପ୍ରଗତି ପଥରେ ଆଗେଇଚାଲିଛି । ତାକୁ କୌଣସି ବି ଶକ୍ତି ଅଟକାଇ ପାରିବ ନାହିଁ । ଗୃହମନ୍ତ୍ରୀ ‘ଭାରତ ଏଗ୍‌ନେଷ୍ଟ ପ୍ରୋପାଗଣ୍ଡା’ ଲେଖି ମଧ୍ୟ ଟ୍ୱିଟ୍‌ କରିଛନ୍ତି ।