ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୫ /୨ : କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ଅନୁଦାନ ମାଧ୍ୟମରେ ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରେ ରେଳ ଭିତ୍ତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ଼ କରିବା ଓ ଯାତ୍ରୀଙ୍କ ସୁବିଧା ବଢ଼ାଇବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଓଡ଼ିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତାରେ ରହିଛି। ମୋଦୀ ସରକାରରେ ବିଗତ ୬ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ରେଳର ଅନୁଦାନ ବଢ଼ିଛି। ମିସନ ପୂର୍ବୋଦୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି। ଓଡ଼ିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୪,୮୭୭ କିମିର ୩୯ଟି ରେଳ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କ୍ରିୟାନ୍ୱିତ ହେଉଛି। ମୋଦୀ ସରକାର ଓଡ଼ିଶାକୁ ପ୍ରାଥମିକତା ଦେଉଛନ୍ତି।