ଉତ୍ତର ପ୍ରଦେଶ,୫ /୨ : ଦିଲ୍ଲୀରେ ଅନୁଷ୍ଠିତ ଟ୍ରାକ୍ଟର ରାଲିରେ ପ୍ରାଣ ହରାଇଥିବା ନବନୀତ ସିଂହଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା କହିଲେ, ସହିଦଙ୍କ ପରିବାର ତାଙ୍କ ବଳିଦାନକୁ କେବେବି ଭୁଲି ପାରିବେ ନାହିଁ। ନବନୀତ ରାଜନୀତି କରିବାକୁ ନୁହେଁ କୃଷକଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀ ଯାଇଥିଲେ।
କୃଷକଙ୍କ ପ୍ରତି କେନ୍ଦ୍ର ସରକାର ବଡ଼ ଅନ୍ୟାୟ କରୁଛନ୍ତି। ସରକାର ସହିଦଙ୍କୁ ଆତଙ୍କବାଦୀ କହୁଛନ୍ତି ଏବଂ କୃଷକ ଆନ୍ଦୋଳନକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଭାବୁଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କ ସହ ପ୍ରିୟଙ୍କା ରାମପୁର ଅଭିମୁଖେ ବାହାରିଥିଲେ। ହାପୁଡ଼ ଜିଲ୍ଲାର ଗଡ଼ ମୁକ୍ତେଶ୍ବର ନିକଟରେ ପ୍ରିୟଙ୍କାଙ୍କ ଗାଡ଼ି ହଠାତ୍ ବ୍ରେକ୍ ଦେବାରୁ ପଛରେ ଆସୁଥିବା କେତୋଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା। ଅବଶ୍ୟ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ ।