ଆଜି ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ

ନୂଆଦିଲ୍ଲୀ, ୬/୨ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ୬୯ଦିନ ଧରି ଜାରି ରହିଥିବା କୃଷକ ସଂଗଠନର ଆନ୍ଦୋଳନ କ୍ରମେ ଆଜି ଦେଶବ୍ୟାପୀ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍‌ ଆହ୍ୱାନ ଦିଆଯାଇଛି । ତେବେ ଏହି ଆାନ୍ଦୋଳନରୁ ଦିଲ୍ଲୀ ସମେତ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶକୁ ବାଦ୍‌ ଦିଆଯାଇଛି। ଏହି ଦୁଇ ରାଜ୍ୟରେ କୃଷକମାନେ କେବଳ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ। ଜାତୀୟ ଓ ରାଜ୍ୟ ରାଜପଥରେ ଚକା ଜାମ୍‌ ହେବ ନାହିଁ; କେବଳ ପିକେଟିଂ ଚାଲିବ ବୋଲି କୃଷକ ସଂଗଠନ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି।

ପୂର୍ବରୁ ସଂଗଠନ ତରଫରୁ ସାଧାରଣତନ୍ତ୍ର ଦିବସରେ କରାଯାଇଥିବା ଟ୍ରାକ୍ଟର ରାଲିରେ ଆନ୍ଦୋଳନକାରୀମାନେ ଲାଲକିଲ୍ଲାରେ ଉତ୍ପାତ ସୃଷ୍ଟି କରିଥିଲେ । ଏହି କାରଣରୁ ଏବେ ସରକାରଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିଛି ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ ପୋଲିସକୁ ସୁରକ୍ଷା ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ଚକ ଅଖ ଜାମ କରିବା ପାଇଁ ଡାକରା ଦେଇଛି । ଫଳରେ ରାଜ୍ୟରେ ଆଜି ଦିନ ୧୨ଟାରୁ ୩ଟା ଯାଏଁ ସଂଗଠନର କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ । ଚାଷୀ ଆନ୍ଦୋଳନକୁ ଓଡ଼ିଶା କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।