ଚେନ୍ନାଇ,୭ /୨: ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍ର ତୃତୀୟ ଦିନରେ ୫୭୮ ରନ୍ କରି ଇଂଲଣ୍ଡ୍ର ପ୍ରଥମ ଇନିଙ୍ଗ୍ସ୍ର ପରିସମାପ୍ତି ହୋଇଛି। ୧୯୦.୧ ଓଭର୍ରେ ଇଂଲଣ୍ଡ ସଂଗ୍ରହ କରିଥିବା ଏହି ୫୭୮ ରନ୍ରେ ଜୋ ରୁଟ୍ଙ୍କର ଅବଦାନ ହେଉଛି ୨୧୮ ରନ୍।
ଭାରତ ବ୍ୟାଟିଙ୍ଗ୍ ଆରମ୍ଭ କରିବା ସହ ୪.୧ ଓଭର୍ ଖେଳି ଗୋଟିଏ ଓ୍ଵିକେଟ୍ ବିନିମୟରେ ୨୦ ରନ୍ ସଂଗ୍ରହ କରିଛି। ଭାରତୀୟ ଟିମ୍ ପକ୍ଷରୁ ଓପେନିଙ୍ଗ୍ କରିଥିଲେ ଶୁଭମ୍ ଗିଲ୍ ଓ ରୋହିତ ଶର୍ମା। ୬ ରନ୍ କରିଥିବା ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ରୋହିତ ଶର୍ମାଙ୍କୁ ଜୋଫ୍ରା ଆର୍ଚର୍ ଆଉଟ୍ କରିଛନ୍ତି। ତାଙ୍କ ସ୍ଥାନରେ ଆସିଥିବା ଚେତେଶ୍ୱର ପୂଜାରା ଗୋଟିଏ ବଲ୍ରେ ଗୋଟିଏ ରନ୍ ସଂଗ୍ରହ କରିଖେଳୁଛନ୍ତି। ଏପର୍ଯ୍ୟନ୍ତ ଶୁଭମ୍ ୧୪ଟି ବଲ୍ ଖେଳି ୧୩ ରନ୍ ସଂଗ୍ରହ କରିଛନ୍ତି।
ଆର୍ ଅଶ୍ୱିନୀଙ୍କ ବଲ୍ରେ ଇଂଲଣ୍ଡ୍ର ଶେଷ ଓ୍ଵିକେଟ୍ ଜେମ୍ସ୍ ଆଣ୍ଡର୍ସନ୍ଙ୍କ ପତ୍ତନ ଘଟିଥିଲା। ପ୍ରଥମ ଇନିଙ୍ଗ୍ସ୍ରେ ଏତେ ପରିମାଣରେ ରନ୍ ସଂଗ୍ରହ ଭାରତୀୟ ଖେଳାଳିଙ୍କ ପାଇଁ ଏକ ଆହ୍ଵାନ ପାଲଟିଛି। ପ୍ରଥମ ଇନିଙ୍ଗ୍ସ୍ରେ ୬୦୦ ପାଖାପାଖି ରନ୍ ସଂଗ୍ରହ କରିବାକୁ ଜୋ ରୁଟ୍ଙ୍କର ଲକ୍ଷ୍ୟ ଥିଲା ଏବଂ ତାହା ଏକପ୍ରକାର ସାକାର ହୋଇଛି। ଇଂଲଣ୍ଡ୍ର ଶେଷ ଦୁଇ ଓ୍ଵିକେଟ୍ର ପତ୍ତନ ନିମନ୍ତେ ତୃତୀୟ ଦିନ ଖେଳରେ ଭାରତକୁ ପ୍ରାୟ ୪୦ ମିନିଟ୍ ଲାଗିଥିଲା। ତୃତୀୟ ଥର ପାଇଁ ନୂଆ ବଲ୍ ନେଇ ବୋଲିଙ୍ଗ୍ କରିବା ପରେ ଜସ୍ପ୍ରୀତ୍ ବୁମ୍ରା ଡୋମ୍ ବେସ୍ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ।