ଭୁବନେଶ୍ୱର,୮ /୨ : ପ୍ରାୟ ୧୧ ମାସ ପରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯିବେ। ରାଜ୍ୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଥିବା ବେଳେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। କୋଭିଡ୍ କଟକଣା ଭିତରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ନବମ ଓ ଏକାଦଶ(ଯୁକ୍ତ ଦୁଇ ପ୍ରଥମ ବର୍ଷ) ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ। ପ୍ରତିଦିନ ୩ଟି ପରିୟିଡରେ ପାଠପଢା ହେବ। ରବିବାର ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କର ପାଠପଢା ହେବନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦୃଷ୍ଟିରେ ରଖି କ୍ଲାସର ସମୟରେ ପରିବର୍ତ୍ତନ କରିପାରିବେ ସଂପୃକ୍ତ ଜିଲାର ଅଧିକାରୀ।
ନବମ ଓ ଏକାଦଶ ଶ୍ରେଣୀରେ କୌଣସି ପ୍ରକାର ମଧ୍ୟାହ୍ନଭୋଜନ ବିରତି ଦିଆଯିବନି। ସ୍କୁଲ ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ରିପୋର୍ଟିଂ କରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ସିଲାବସ୍ ଅନୁଯାୟୀ ପଢାଯିବ। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍ ଟେଷ୍ଟ ହେବ। ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ।