ନୂଆଦିଲ୍ଲୀ,୮/୨ : ଜାମ୍ମୁ-କାଶ୍ମୀରର ରାଜ୍ୟସଭା ସାଂସଦ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୧୫ରେ ସରିବ । ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦ ହାତେଇବାକୁ କଂଗ୍ରେସରେ ଆରମ୍ଭ ହେଲାଣି ଧାଁ ଦୌଡ। ଏହି ଦୋୖଡରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ ଏବଂ ପୂର୍ବତନ ରେଳ ମନ୍ତ୍ରୀ ତଥା ଲୋକସଭାରେ କଂଗ୍ରେସ ପାର୍ଟିର ନେତା ମଲ୍ଲିକାର୍ଜୁନ ଖଡଗେ ଆଗରେ ଥିବା ଜଣାପଡିଛି । ଏମାନଙ୍କୁ ଛାଡିଲେ ରାଜ୍ୟସଭାରେ କଂଗ୍ରେସର ଉପ ନେତା ଆନନ୍ଦ ଶର୍ମା, କପିଲ ସିବଲଙ୍କ ପରି ବରିଷ୍ଠ ନେତା ମଧ୍ୟ ଅଛନ୍ତି । କିନ୍ତୁ ଏମାନେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରି ବିବାଦୀୟ ହୋଇପଡିଥିବା ବେଳେ ହାଇକମାଣ୍ଡ କାହାକୁ ଏହି ପଦରେ ବସିବେ ତାହା ଦେଖିବାକୁ ବାକିରହିଲା ।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ଏବଂ ବିଧାନସଭା ଭଙ୍ଗ ହେବା କାରଣରୁ ଆଜାଦଙ୍କୁ ପୁନର୍ବାର ଚୟନ କରାଯିବା ସମ୍ଭବ ନୁହେଁ। ସେ ସମ୍ଭବତଃ କେରଳରୁ ରାଜ୍ୟସଭା ନିର୍ବାଚନ ଲଢି ପାରନ୍ତି। ସେ ଯାହା ହେଉନା କାହିଁକି ଆଜାଦଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି।