ଖୋର୍ଦ୍ଧାରେ ହେବ ଭାରତୀୟ ଡାଲି ଗବେଷଣା ଆଞ୍ଚଳିକ କେନ୍ଦ୍ର

ଭୁବନେଶ୍ଵ, ୧୧ /୨ : ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ । ଆଜି ‘ବିଶ୍ୱ ଡାଲି ଦିବସ’ ଅବସରରେ ଡାଲି ଗବେଷଣା ଆଞ୍ଚଳିକ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏହା ସହିତ ତୋମାର ଭୋପାଳ ଓ ବିକାନେରରେ ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆୟୋଜିତ ବିଶ୍ୱ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୋମାର ଏହି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ଅବସରରେ “ଆତ୍ମନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା” ଶୀର୍ଷକ ଏକ ତିନି ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର ଆଲୋଚନା କରିଥିଲେ।

ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ତୋମାର କହିଥିଲେ ଯେ, ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫-୬ ବର୍ଷ ମଧ୍ୟରେ ଆମ କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କର କୃଷି ଅନୁକୂଳ ନୀତି ଯୋଗୁ ଦେଶରେ ଡାଲି ଉତ୍ପାଦନ ୧୪୦ଲକ୍ଷ ଟନରୁ ୨୪୦ଲକ୍ଷ ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ହେବ।

ଲୋକମାନଙ୍କର ସ୍ବାସ୍ଥ୍ୟ ଉପରେ ଡାଲିର ଉତ୍ତମ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ‘ବିଶ୍ଵ ଡାଲି ଦିବସ’ ପାଳନ କରାଯାଉଛି। ଗତ ୬ ବର୍ଷ ମଧ୍ୟରେ ଡାଲି ଉପରେ ଏମଏସପି ୪୦ରୁ ୭୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଚାଷୀମାନଙ୍କୁ ନିଶ୍ଚିତ ଭାବେ ଲାଭବାନ କରିବ। କୁପୋଷଣ ଦୂର କରିବାକୁ ହେଲେ ଡାଲି ଉତ୍ପାଦନ କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ।