ଆସନ୍ତାକାଲି ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ

ନୂଆଦିଲ୍ଲୀ,୧୨ /୨ : ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିଛନ୍ତି । ଆସନ୍ତାକାଲିଠାରୁ ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ। ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ। ଲୋକମାନେ rastrapatisachivalaya.gov.in ୱେବ୍‍ସାଇଟ୍‍ ମାଧ୍ୟମରେ ଏଥିପାଇଁ ବୁକିଂ କରିପାରିବେ।

ପ୍ରତ୍ୟେକ ଥରରେ ସର୍ବାଧିକ ୧୦୦ ଜଣ ବ୍ୟକ୍ତିଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାଛଡ଼ା ଭ୍ରମଣ ସମୟରେ ଦର୍ଶକମାନଙ୍କୁ କୋଭିଡ ନିୟମାବଳିଗୁଡିକୁ ମାନିବାକୁ ପଡିବ ବୋଲି ଜଣାପଡ଼ିଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ଵ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରବେଶ ଦ୍ଵାରରେ ଥର୍ମାଲ ସ୍କ୍ରିନିଂ କରାଯିବ। କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଏହି ଭ୍ରମଣ ପାଇଁ ଅନୁମତି ଦିଆଯିବ ନାହିଁ।