‘କାଳିଆ’ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ /୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ୟ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ୟ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ। ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’ କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଭାଇ ସଂଜୀବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି । ‘ଚାଷୀର ତ୍ୟାଗକୁ, ତାର ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଏବଂ କରିଚାଲିବେ, ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇ ପାଇଁ ବିଭିନ୍ନ ଯୋଜନା କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ୍‌ଏସ୍‌ପିକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିଆସୁଛନ୍ତି । ଏହାସହିତ କୃଷିଜାତ ଜିନିଷ ପାଇଁ ବଜାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ।

ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡର କୁମାରୀ ମାରାଇ ବରଗଡ, ମାଣିକ ପ୍ରଧାନ ନବରଙ୍ଗପୁରର ଘନ ପାଇକ, ନୟାଗଡର ଦାଶରଥି ସାହୁ ଓ ମୟୁରଭଞ୍ଜର ଚାଷୀମାନେ କାଳିଆ ସହାୟତା ଦ୍ବରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।