ରାଞ୍ଚି : ଅଷ୍ଟ୍ରେଲିଆରେ ବହୁଳ ଭାବରେ ଚାଷ ହେଉଥିବା କଳା ଟମାଟୋ ର ଚାଷ ବର୍ତ୍ତମାନ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି । ଝାଡ଼ଖଣ୍ଡ ରାମଗଡର ମାଟି ଏବଂ ଜଳବାୟୁ କଳା ଟମାଟୋ ପାଇଁ ଉପଯୁକ୍ତ ହୋଇଥିବାରୁ ଏବେ ଏହି ଚାଷ ଆରମ୍ଭ କରାଯାଇଛି । ଭାରତରେ କଳା ଟମାଟୋ ଚାଷ ଆରମ୍ଭ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଝାଡ଼ଖଣ୍ଡର ମହେନ୍ଦ୍ର ସିଂ ଜୋଲି । ମହେନ୍ଦ୍ରଙ୍କ ବଗିଚାରେ ଦେଶ ତଥା ବିଦେଶର ବିଭିନ୍ନ ପ୍ରକାରର ଅର୍କିଡ୍ ଫୁଲ ଚାଷ ହେଉଥିବାବେଳେ ପ୍ରଥମ ଥର ପାଇଁ କଳା ଟମାଟୋ ଚାଷ କରାଯାଉଛି । ମହେନ୍ଦ୍ରଙ୍କ କହିବା କଥା ଯେ ବିଭିନ୍ନ ରୋଗ ପାଇଁ ରାମବାଣ ଭାବେ ସାବ୍ୟସ୍ତ ହୋଇଥିବା କଳା ଟମାଟୋ ଚାଷ ପ୍ରତି କିଭଳି ଚାଷୀଙ୍କୁ ଆକର୍ଷିତ କରାଯାଇପାରିବ, ତାହା ତାଙ୍କର ଲକ୍ଷ୍ୟ ରହିଛି ।
କର୍କଟ ଏବଂ ମଧୁମେହକୁ ରୋକିବା ପାଇଁ କଳା ଟମାଟୋ ବହୁତ ସହାୟକ ହୋଇଥାଏ। କଳା ଟମାଟୋ ବାହାରୁ କଳା ହୋଇଥିବାବେଳେ ଏହା ଭିତରୁ ସମ୍ପୂର୍ଣ୍ଣ ଲାଲ୍ ହୋଇଥାଏ । ଏହି ଟମାଟୋର ସ୍ୱାଦ ସାଧାରଣ ଲାଲ ଟମାଟୋ ପରି ହୋଇଥିବାବେଳେ ଏହାର ବିଶେଷତ୍ୱ ହେଉଛି ଏହି ଟମାଟୋ ଶୀଘ୍ର ନଷ୍ଟ ହୁଏ ନାହିଁ ।