ଭୁବନେଶ୍ୱର,୨୧ /୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଅବସରରେ ବକ୍ତବ୍ୟ ରଖି କହିଛନ୍ତି ଯେ ଦୂରଦୃଷ୍ଟି ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସହିତ ଗତବର୍ଷ ଆମ ସରକାର ଅଭୂତପୂର୍ବ କୋଭିଡ୍-୧୯ ସମସ୍ୟାର ମୁକାବିଲା ପାଇଁ ଅନେକ ସକ୍ରିୟ ପଦକ୍ଷେପ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଆବଶ୍ୟକୀୟ ହସ୍ତକ୍ଷେପ ଦ୍ୱାରା ଅର୍ଥନୀତିର ଦ୍ରୁତ ପୁନଃସ୍ଥାପନକୁ ସୁନିଶ୍ଚିତ କରିଛନ୍ତି । ଗତବର୍ଷ ୧.୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ଓଡ଼ିଶା ଏକ ପ୍ରମୁଖ ବିନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି ଏବଂ ଐତିହ୍ୟସ୍ଥଳୀର ବିକାଶ ଏବଂ ଲୋକସେବାରେ ରୂପାନ୍ତରଣ ପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଆମେ ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ନିଶ୍ଚୟ, ଯାହା ଲୋକମାନଙ୍କୁ ଆଶାଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କୁ ବୃହତ ସ୍ୱପ୍ନ ଦେଖିବା ସହ ସେମାନଙ୍କ ସାମର୍ଥ୍ୟର ପରିପ୍ରକାଶ ନିମନ୍ତେ ସୁଯୋଗ ଦେବ ।