ମକା ବୋଝେଇ ଟ୍ରକରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ

ମୁନିଗୁଡା,୨୧/୨: ମକା ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର। ଟ୍ରକ ସହ ୧୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଏଥିସହ ୪ ନିଶା ବେପାରୀ ଗିରଫ।

ବଡ଼ ଚତୁରତାର ସହ ମକା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିଲା ବେଳେ ବିଷମକଟକ ପୋଲିସ ନିଶା ବେପାରୀଙ୍କୁ ଗିରଫ କରିଛି। କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ବିଷମକଟକ ଏସ ଡି ପିଓଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଏହି ଟ୍ରକକୁ ବିଷମ କଟକ ଥାନା ସାହାଡ଼ା ପଞ୍ଚୟତ ନିକଟରେ ପୋଲିସ ଜବତ କରିଛି।

ଟ୍ରକ ନମ୍ବର୍ AP26-TT-6282 ମକା ବୋଝେଇ ଟ୍ରକଟି ଗୁଡାରି ଅଞ୍ଚଳରୁ ଭାୟା ବିଷମ କଟକ ଅଞ୍ଚଳ ଦେଇ ଉତ୍ତରପ୍ରଦେଶ ଯାଉଥିବା ବେଳେ ଏହାକୁ ଯାଞ୍ଚ କରିଥିଲା ପୋଲିସ । ତେବେ ଏହି ଟ୍ରକ ଡାଲାରେ ଏକ ସ୍ୱତନ୍ତ୍ର ବକ୍ସ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲା ପୋଲିସ। ଜବତ ହୋଇଥିବା ଟ୍ରକରେ ଥିବା ଏହି ବକ୍ସ ଭିତରୁ ୩୮ ବସ୍ତା ଗଞ୍ଜେଇ ବାହାରିଥିଲା।