୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୬ /୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ୪ଟି ରାଜ୍ୟ ତଥା ୧ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ,କେରଳ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ମୋଟ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ଭୋଟ ଗ୍ରହଣ ହେବ । ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

ଆସାମ: ଆସାମର ୧୨୬ ଟି ଆସନ ପାଇଁ ମୋଟ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।

କେରଳ: କେରଳର ୧୪୦ଟି ଆସନ ପାଇଁ ଏଥର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ ନିର୍ବାଚନ ପାଇଁ ଭୋଟ୍ ଦେବେ ଏବଂ ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।

ତାମିଲନାଡୁ: ତାମିଲନାଡ଼ୁର ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ ନିର୍ବାଚନ ପାଇଁ ଭୋଟ୍ ଦେବେ । ଏହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।

ପୁଡୁଚେରି: କେନ୍ଦ୍ରଶାସିତ ପୁଡ଼ୁଚେରିର ୩୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୬ ତାରିଖରେ ଏଥିପାଇଁ ମତଦାନ ହେବ ଓ ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।

ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏସବୁ ନିର୍ବାଚନ ହେବ ବୋଲି ଶ୍ରୀ ଆରୋରା ସୂଚନା ଦେଇଛନ୍ତି ।