ଖେଳଣା ନିର୍ମାଣ ଦେଶର ଶହ ଶହ ବର୍ଷ ପୁରାତନ ପରମ୍ପରାକୁ ମଜଭୁତ୍‌ କରିବାର ଉପାୟ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ‘ଭାରତ ଖେଳଣା ମେଳା’ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଖେଳଣା ପିଲାମାନଙ୍କ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକାଶ କରିବ ।

ଏହି ଉଦ୍‌ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳର ଖେଳଣା ନିର୍ମାତାଙ୍କ ସହ କଥାବାର୍ତ୍ତା କରି କହିଲେ ଯେ, ଖେଳଣା ନିର୍ମାଣ କେବଳ ବ୍ୟବସାୟ ନୁହେଁ, ଦେଶର ଶହ ଶହ ବର୍ଷ ପୁରାତନ ପରମ୍ପରାକୁ ମଜଭୁତ୍‌ କରିବାର ଉପାୟ ମଧ୍ୟ।ସଭ୍ୟତା ଆରମ୍ଭରୁ ଆମର ଖେଳଣା ସହ ସମ୍ପର୍କ ରହିଛି। ଭାରତର ସମୃଦ୍ଧ ଖେଳଣା ନିର୍ମାଣର ପ୍ରମାଣ ହେଉଛି ଆମର ଯେତେ ସବୁ ମନ୍ଦିର।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଲେ, ପିଲାଙ୍କର ସାମଗ୍ରିକ ବିକାଶ ନିମନ୍ତେ ଆମେ ଖେଳଣା ନିର୍ମାଣ କରନ୍ତି। ଭାରତୀୟ ଚିନ୍ତାଧାରାରେ ନିର୍ମିତ ଖେଳଣା ପିଲାମାନଙ୍କ ମନରେ ଆମର ମୂଲ୍ୟବୋଧ ଜାଗରୁକ କରେ। ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରାଏ। ନଟୁ ଏବଂ ବାଟୁଳିଖାଡ଼ା ଭଳି ଖେଳଣା ପିଲାଙ୍କୁ ସନ୍ତୁଳନ ଓ ଗତିଜଶକ୍ତି ସମ୍ବନ୍ଧରେ ଧାରଣା ଦିଏ। ସେହିଭଳି ଝୁମୁକା ନବଜାତଙ୍କୁ ପରିକ୍ରମଣ ଗତି ଅନୁଭବ କରାଇବାରେ ସହାୟକ ହୁଏ। ଗୋଲକଧନ୍ଦା ଖେଳଣା ପିଲାଙ୍କୁ ରଣନୈତିକ ଚିନ୍ତା ଏବଂ ସମସ୍ୟା ସମାଧାନ କରିବାରେ ସହାୟକ ହୁଏ।

ଆଜି ଆରମ୍ଭ ହୋଇଥିବା ଏହି ଖେଳଣା ମେଳା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦୦୦ରୁ ଅଧିକ ଖେଳଣା ନିର୍ମାତା ଏହି ମେଳାରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ଏଥିରେ ପାରମ୍ପରିକ ଭାରତୀୟ ଖେଳଣା ସମେତ ଆଧୁନିକ ଯୁଗର ଖେଳଣା ମଧ୍ୟ ସ୍ଥାନ ପାଇଛି।