ଭୁବନେଶ୍ବର,୨୭ /୨: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତି ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ, ପଦ୍ମଭୂଷଣ ରଘୁନାଥ ମହାପାତ୍ର ଓ ଗବେଷକ ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ସେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ସହଯୋଗ କରୁଥିବାରୁ ଶ୍ରୀମନ୍ଦିରର ସେବାୟତ ଓ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି।
ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର ଏହି ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା। ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଓ ଭକ୍ତମାନଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଥିବା କଥା ବି କହିଥିଲେ ।
ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ିଉଠିଛି । ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ/ ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପ୍ରଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ। ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ। ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଏନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ ।’