ଶ୍ରୀମନ୍ଦିର ବିକାଶ ପାଇଁ ଦରମାରୁ ୧ ଲକ୍ଷ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡ଼ିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି। ରବିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀ ଧାମର ବିକାଶ ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର ଓ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ହୃଦୟର ସ୍ପନ୍ଦନ ସହ ଯୋଡ଼ି ହୋଇରହିଛି। ମୁଁ ମଧ୍ୟ ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କାର ଯୋଗଦାନ ଦେଇ ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡ଼ିବାର ସୌଭାଗ୍ୟ ଲାଭ କଲି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜ ଓ ଓଡ଼ିଆ ଭାଇ ଭଉଣୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଶ୍ରୀମନ୍ଦିରର ବିକାଶ ପାଇଁ ସହଯୋଗ କରିବା ଦରକାର। ଏକବିଂଶ ଶତାବ୍ଦୀରେ ଏହି ଦାୟିତ୍ୱକୁ ପୂରା କରିବା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ସେହିପରି ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀଣ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀଠାରେ ଗେଲ ଗ୍ୟାସ ଲିମିଟେଡ୍‍ ଏବଂ ମୋଏଲ ଲିମିଟେଡର କର୍ପୋରେଟ୍‍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେହିପରି ପୁରୀରେ ପେଟ୍ରୋଲିୟମ ଓ ଇସ୍ପାତ୍‍ ମନ୍ତ୍ରଣାଳୟର ସିଏସଆର ଅଧୀନରେ ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହେଉଥିବା ସେ କହିଛନ୍ତି। ଶ୍ରୀ ପ୍ରଧାନ ରବିବାର ପୁରୀ ସହରର ବାସେଳୀ ସାହି ମୁଦୁଲି ଜାଗାଠାରେ ନବୀକରଣ ହୋଇଥିବା କଲ୍ୟାଣ ମଣ୍ଡପ ଏବଂ ଝାଡ଼େଶ୍ୱରୀ କ୍ଲବଠାରେ କମ୍ୟୁନିଟି ସେଣ୍ଟରର ଉଦଘାଟନ କରିଥିବା ବେଳେ ବାଲିସାହି ସ୍ଥିତ ହିଞ୍ଜିଳ ଜାଗାରେ କମ୍ୟୁନିଟି ହଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉଦ୍‍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଗେଲ୍‍ ଇଣ୍ଡିଆ ଓ ମୋଏଲ ଇଣ୍ଡିଆ ଲିମିଟେଡର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।