ନୂଆଦିଲ୍ଲୀ,୧ /୩ : କେନ୍ଦ୍ର ସରକାର ଆଗାମୀ ୨ ବର୍ଷ ମଧ୍ୟରେ ୧ କୋଟିରୁ ଉର୍ଦ୍ଧ୍ବ ଆବଶ୍ୟକ ଲୋକଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପାଇଁ ଏବଂ ରୋଷେଇ ଗ୍ୟାସ୍କୁ ଲୋକମାନଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁଯାୟୀ ଦେଶର ୧୦୦ ପ୍ରତିଶତ ଲୋକଙ୍କ ନିକଟରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ସଚିବ ତରୁଣ କପୁର କହିଛନ୍ତି, କେବଳ ପରିଚୟ ପତ୍ର ଦ୍ବାରା ଏବଂ କୌଣସି ଆବାସ ପ୍ରମାଣପତ୍ର ବିନା ଗ୍ୟାସ୍ ସଂଯୋଗ ଦିଆଯାଇପାରିବ । ଏହା ସହିତ ଖୁବ ଶୀଘ୍ର ଉପଭୋକ୍ତାମାନଙ୍କୁ ଗୋଟିଏ ଡିଲର ବଦଳରେ ଆଖପାଖର ୩ଜଣ ଡିଲରଙ୍କ ଠାରୁ ଗ୍ୟାସ୍ ରିଫିଲ୍ ସିଲିଣ୍ଡର ନେବା ପାଇଁ ବିକଳ୍ପ ମଧ୍ୟ ମିଳିବ ।
ଗତ ୪ ବର୍ଷ ମଧ୍ୟରେ ଦେଶରେ ମୋଟ ୮ କୋଟି ମହିଳାଙ୍କ ଘରେ ମାଗଣା ଏଲ୍ପିଜି ସଂଯୋଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶର ଉପଯୋଗକର୍ତ୍ତାଙ୍କ ସଂଖ୍ୟା ପ୍ରାୟ ୨୯ କୋଟି । ଚଳିତ ବର୍ଷ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଅନୁଯାୟୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନରେ ଏକ କୋଟିରୁ ଉର୍ଦ୍ଧ୍ବ ମାଗଣା ଗ୍ୟାସ୍ ସଂଯୋଗ ପାଇଁ ଯୋଜନା କରାଯାଇଛି ।