ଭୁବନେଶ୍ବର : ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ସଂଗୀତରେ କଣ୍ଠଦାନ କରିଛନ୍ତି ଖୋଦ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଠିସେଠି କିମ୍ବା ସଉକ ପାଇଁ ନୁହେଁ, ଷ୍ଟୁଡିଓରେ ବିଧିବଦ୍ଧ ଭାବେ ଏହି ଓଡ଼ିଆ ଗୀତର ରେକର୍ଡିଂ କରିଛନ୍ତି ରାଜ୍ୟପାଳ। ତାହା ପୁଣି ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି।
କେବଳ ରାଜ୍ୟପାଳ ନୁହନ୍ତି, ଏଥିରେ ୧୪ ଜଣ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ କଣ୍ଠଦାନ କରିଛନ୍ତି। ଆଜି ନୀଳାଦ୍ରିବିହାରର ଏକ ଷ୍ଟୁଡିଓରେ ଏହି ସଙ୍ଗୀତର ରେକର୍ଡିଂ କରାଯାଇଛି। ବସନ୍ତ ରାଜ ସାମଲ ଏହି ଗୀତଟିକୁ ଲେଖିଥିବା ବେଳେ ଭିନ୍ନ ଭିନ୍ନ କଣ୍ଠଶିଳ୍ପୀଙ୍କୁ ନେଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଆସନ୍ତା ଉତ୍କଳ ଦିବସ ଅବସରରେ ଭିଡିଓ ସହ ଏହି ସଙ୍ଗୀତ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।