ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ପାଲଟା ଆକ୍ରମଣ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗୀ କହିଥିଲେ ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ୩୫୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ଲାଭ କରିବ । କିନ୍ତୁ ଏବେ ଅଖିଳେଶ ଯାଦବ, ଯୋଗୀଙ୍କୁ ପାଲଟା ଜବାବ ଦେବାକୁ ଯାଇ ୟୁପିରେ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୫୦ ସିଟ୍ରେ ଜିତିବ ବୋଲି କହିଛନ୍ତି ।
ଏହା ସହିତ ଅଖିଳେଶ ଯାଦବ କହିଛନ୍ତି, ବିଜେପି ମାତ୍ର ୪୫ଟି ସିଟ୍ ମଧ୍ୟ ପାଇପାରିବ ନାହିଁ । କିଛି ଦିନ ମଧ୍ୟରେ ଟିକେଟ୍ କଟିବା ନେତାଙ୍କ ତାଲିକା ତିଆରି ହେବ । ଏହାପରେ ବିଜେପିରେ ଦଳ ଡିଆଁ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଅଖିଳେଶ କହିଛନ୍ତି । ଉତ୍ତର ପ୍ରଦେଶ ଜନତା ସମାଜବାଦୀ ପାର୍ଟିକୁ ଭରଷା କରିବେ ବୋଲି ଅଖିଳେଶ ଦୃଢତାର ସହ କହିଛନ୍ତି । ୨୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଅଖିଳେଶ ଯାଦବ କହିଛନ୍ତି, ‘ଆମେ କୌଣସି ବଡ ଦଳ ସହିତ ମେଣ୍ଟ କରିବୁ ନାହିଁ । ଆସନ୍ତା ନିର୍ବାଚନରେ ଲୋକମାନଙ୍କ ପାଖକୁ ଯିବୁ ଏବଂ ଛୋଟ ଛୋଟ ଦଳମାନଙ୍କୁ ନେଇ ଆଗକୁ ବଢିକୁ । ସମାଜବାଦୀ ପାର୍ଟି ନିଜ ଦମ୍ରେ ବିଧାନସଭା ନିର୍ବାଚନ ଲଢିବ।’
କରୋନା ମହାମାରୀ ସମୟରେ ସବୁଠାରୁ ଖରାପ କାମ ଉତ୍ତର ପ୍ରଦେଶ ସରକାର ହିଁ କରିଛନ୍ତି ବୋଲି ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି । ଏହା ସହିତ ସେ କହିଛନ୍ତି ବିଜେପି ହେଉଛି ନକଲି ହିନ୍ଦୁ । ସମାଜବାଦୀ ପାର୍ଟି କେବେ ଧର୍ମର ପ୍ରଚାର କରିନାହିଁ କିନ୍ତୁ ବିଜେପି ସର୍ବଦା ଧର୍ମର ପ୍ରଚାର କରୁଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।