ଭୁବନେଶ୍ବର,୨ /୩ : ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , ୫୦ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହିସବୁ କାର୍ୟ୍ୟକ୍ରମ ଗୁଡିକ ବିଭାଗର କାର୍ୟ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର। ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରତ୍ବ ଦେଇ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି। ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାତୃଭାଷା ଜରିଆରେ ହିଁ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି।
ଆଜି ଆରମ୍ଭ ହେଉଥିବା ସଂହତି କାର୍ୟ୍ୟକ୍ରମ ଦ୍ବାର ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ। ସେହିପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ରେ ପୋଷ୍ଟ ମାଟ୍ରିକ୍ ସ୍କଲାର୍ସିପ୍ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି। ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ।