୨୦୦ଟି ବିଦ୍ୟାଳୟର କାର୍ଯ୍ୟ ସମୀକ୍ଷା ତଦାରଖ କରିବ ‘ମୋ ସ୍କୁଲ୍’
ପୁରାତନ ଛାତ୍ରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର
ଭୁବନେଶ୍ୱର,୪ /୩ : ରାଜ୍ୟରେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଧିରେ ଧିରେ ବ୍ୟାପକ ହେଉଛି। ରାଜ୍ୟ ଏବଂ ଦେଶ ବାହାରୁ ଲକ୍ଷାଧିକ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ରାଜ୍ୟର ମୋଟ ୨୫,୫୨୦ଟି ବିଦ୍ୟାଳୟରେ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ମୋଟ ୮୦ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଲେଣି। ରାଜ୍ୟ ସରକାରଙ୍କ ସହାୟତା ରାଶିକୁ ମିଶାଇ ମୋଟ ୨୪୦ କୋଟି ଟଙ୍କାର ପ୍ରକଳ୍ପ ଏବେ ବିଭିନ୍ନବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଛି। ଏଭଳି ସ୍ଥଳେ କାର୍ଯ୍ୟକ୍ରମର ବ୍ୟାପକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ମୋ ସ୍କୁଲ୍ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରକଳ୍ପ ତଦାରଖ ଏବଂ ଡକ୍ୟୁମେଣ୍ଟେସନ କାର୍ଯ୍ୟକୁ ଜୋରଦାର କରାଯିବ। ‘ମୋସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ଏନେଇ ଗୁରୁବାର ଦିନ‘ମୋସ୍କୁଲ୍’ ପରିଚାଳନା ଟିମ୍କୁ ନିର୍ଦେଶ ଦେଇଛନ୍ତି।
ଶନିବାରଠାରୁ ‘ମୋ ସ୍କୁଲ୍’ ଟିମ୍ ଏହି ମନିଟରିଂ କାର୍ଯ୍ୟକ୍ରମ ଆରମ୍ଭ କରିବ। ପ୍ରାଥମିକ ପର୍ଯ୍ୟାୟରେ ୫୦ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୨୦୦ଟି ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରାଯିବ। ‘ମୋସ୍କୁଲ୍’ ଅଭିଯାନ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟକୁ ସହଯୋଗ ଯୋଗାଇ ଦେଇଥିବା ଏହି ୨୦୦ ବିଦ୍ୟାଳୟର ପୁରାତନ ଛାତ୍ରମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଧନ୍ୟବାଦ ପତ୍ର ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ‘ମୋ ସ୍କୁଲ୍’ ଯୋଜନା କାର୍ଯ୍ୟକାରୀ ହେଉଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ତଦାରଖ ଓ ଡକ୍ୟୁମେଣ୍ଟେସନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାର ୨ଟିସ୍କୁଲ୍କୁ ଗସ୍ତ କରି ସେଠାରେ ମୋସ୍କୁଲ୍ ଅଧିନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ତଦାରଖ କରିବେ। ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଯେଉଁ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ଏବଂ ବିଦ୍ୟାଳୟ ଭିତ୍ତିଭୂମିକୁ ପରିବର୍ତ୍ତନ କରିବାରେ ବିଶେଷ ସଫଳତା ହାସଲ କରିଛନ୍ତି ସେଠାକୁ ଅଧ୍ୟକ୍ଷା ପରିଦର୍ଶନରେ ଯିବା ସହ ଉକ୍ତବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବେ।