ଭୁବନେଶ୍ଵର,୧୪ /୩ : ଓଡ଼ିଶା ସରକାର କରୋନା ସ୍ଥିତି ନିୟନ୍ତ୍ରଣରେ ନେଇଥିବା ପଦକ୍ଷେପକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (WHO) ପ୍ରଶଂସା କରିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ କମ୍ ରହୁଛି। କିନ୍ତୁ ବିପଦ ଟଳିନାହିଁ। ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ । ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରି ଏହା କହିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ ଫେରିଛି। ଲକଡାଉନ ସମୟର କଷ୍ଟ ଏବେ ବି ଆମ ସ୍ମୃତିରେ ତାଜା ରହିଛି। ଆମ ଅର୍ଥନୀତି, ସାମାଜିକ ଜୀବନ, ପିଲାମାନଙ୍କ ଶିକ୍ଷା ସବୁ କ୍ଷେତ୍ରକୁ ଏହା ଗଭୀର ଭାବେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁ ବର୍ତ୍ତମାନ ସ୍ବାଭାବିକ ଅବସ୍ଥା ଫେରିଛି। ଆମେ ଆଉ ଲକ୍ଡାଉନକୁ ଫେରିବାକୁ ଚାହୁଁନାହୁଁ। ଏହାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା। ଆମେ ସତର୍କ ରହିଲେ ଲକ୍ଡାଉନ ଭଳି ସ୍ଥିତି ଉପୁଜିବ ନାହିଁ। ତେଣୁ ଆମେ ସମସ୍ତେ ପୂର୍ବ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ମାସ୍କ ନ ଝୁଲାଇ ଠିକ୍ ଭାବେ ପାଟି ଓ ନାକକୁ ଘୋଡ଼ାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସାମାଜିକ ଦୂରତା ରକ୍ଷା କରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ।