ଆଜିଠାରୁ ୨ୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର,୧୬/୩ : ଆଜିଠାରୁ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା। ଦେଶର ୩୩୧ଟି ସହରରେ ପରୀକ୍ଷା ହେଉଥିବା ବେଳେ ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ NTA ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି।

କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ ବା CBT ମାଧ୍ୟମରେ ପରୀକ୍ଷା କରାଯାଉଛି। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବେ । କରୋନା ମହାମାରୀ ଲାଗି ଚଳିତବର୍ଷ ୪ଟି ସେକ୍ସନ୍‌ରେ ପରୀକ୍ଷା ହେଉଛି। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବାର ଯୋଜନା ରହିଛି । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା ହେବ।

ସେହିପରି ପୂର୍ବାହ୍ନରେ ହେବାକୁ ଥିବା ପରୀକ୍ଷା ଲାଗି ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍‌ଣ ସେକ୍ସନ ଲାଗି ଅପରାହ୍‌ଣ ୨ଟାରୁ ୨ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ଲାଗି କଟକଣାକୁ କଡ଼ାକଡ଼ି କରାଯାଇଛି । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସମେତ ଯେକୌଣସି ଫଟୋ ପରିଚୟପତ୍ର, ନିଜସ୍ୱ ପାଣି ବୋତଲ, ସାନିଟାଇଜର ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି। ପୂର୍ବରୁ ପ୍ରଥମ ପର୍ଯ୍ୟାୟର ଫଳ ପ୍ରକାଶ ପାଇଁ ସରିଛି।