କୋଲକାତା,୧୭ /୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା ବିଜେପି । ନାମାଙ୍କନ ପତ୍ର ଦାଖଲ ସମୟରେ ଦେଇଥିବା ସତ୍ୟପାଠରେ ମମତା ନିଜ ନାଁରେ ଥିବା ୬ଟି ଅପରାଧିକ ମାମଲା ବିଷୟରେ କୌଣସି ସୂଚନା ଦେଇନଥିବା ନେଇ ଅଭିଯୋଗ କରିଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଆଜି ଶୁଭେନ୍ଦୁଙ୍କୁ ଜବାବ ଦେବାକୁ ଯାଇ ତାଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ (ଟିଏମସି) ।
ଟିଏମସି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ନାମ ନନ୍ଦିଗ୍ରାମ ନିର୍ବାଚନ ତାଲିକାରୁ ହଟାଇବାକୁ ଦାବି କରିଛି। ଟିଏମସି କହିବା ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମର ସ୍ଥାୟୀ ବାସିନ୍ଦା ନୁହଁନ୍ତି ଏବଂ ଗତ ୬ମାସ ହେଲାଣି ସେ ନନ୍ଦିଗ୍ରାମରେ ରହୁ ନାହାଁନ୍ତି। ଯେହେତୁ ସେ ନନ୍ଦିଗ୍ରାମର ବାସିନ୍ଦା ନୁହନ୍ତି, ସେଥିପାଇଁ ସେ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରି ପାରିବେ ନାହିଁ ଏବଂ ତାଙ୍କ ନାଁ ନିର୍ବାଚନ ତାଲିକାରୁ ହଟାଯିବା ଜରୁରୀ ବୋଲି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି ଟିଏମସି।