ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍‌

ଭୁବନେଶ୍ବର,୧୮ /୩ : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ଯୋଗୁଁ ଗତ ୨୦୨୦ ମାର୍ଚ୍ଚରୁ ପାଠପଢା ବନ୍ଦ ରହିଛି। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିନି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ଥିବାରୁ ଅଫ୍‌ଲାଇନ୍‌ରେ ମଧ୍ୟ ପାଠ ପଢ଼ାଯାଇନି। ଅନ୍‌ଲାଇନ ପାଠପଢ଼ା ସବୁ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚିପାରିନି। ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ ଅନୁଷ୍ଠିତ ହେବ। ଏନେଇ ବିଭାଗର ଅତିରିକ୍ତ ସଚିବ ରଘୁରାମ ଆର ଆୟାର ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ କରାଯିବ। ପ୍ରଥମ ୨ରୁ ୩ ମାସ ମଧ୍ୟରେ ଉକ୍ତ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ।

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି ଅବଧିରେ ଛାତ୍ରଛାତ୍ରୀଙ୍କୁ ପୁରୁଣା ଶ୍ରେଣୀ ତଥା ପାଠର ରିଭିଜନ କରାଇବେ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଏହି ନିୟମ ଲାଗୁ ହେବ। ତେଣୁ ଏଦିଗରେ ପଦକ୍ଷେପ ନେବା ପାଇଁ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଛି।