ପାନୀୟ ଜଳ ଯୋଗାଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଏବର୍ଷ ଶୀଘ୍ର ଗ୍ରୀଷ୍ମ ଋତୁ ଆସିଥିବାରୁ ଏବଂ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣକୁ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।