ଏପ୍ରିଲ ୧ ରୁ ହେଲମେଟ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ବର,୨୪ /୩ : ଏଣିକି ଗାଡି ପଛରେ ବସିଥିବା ଯାତ୍ରୀ ହେଲମେଟ ନ ପିନ୍ଧିଲେ ନିସ୍ତାର ନାହିଁ । କାରଣ ଏପ୍ରିଲ ୧ ରୁ ଏହି ନିୟମ କଡାକଡି ଭାବେ ଲାଗୁ କରିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି। ଚଳିତ ବର୍ଷ ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ସୁରକ୍ଷା ମାସ ପାଳନ କରାଯାଇଥିଲା। ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡକ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧୁ ନ ଥିବା ସମୀକ୍ଷା ବୈଠକରୁ ଜଣାପଡିଥିଲା।

ଏପ୍ରିଲ ୧ରୁ ଏହି ଅଭିଯାନ ଆରମ୍ଭ ହେବ। ଏକମାସ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବାକୁ ଯେପରି ଅଭ୍ୟାସରେ ପରିଣତ କରିବେ ସେ ନେଇ ସତର୍କ ଓ ସଚେତନ କରାଯିବ। ଏହି ଅଭିଯାନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ନିେୟାଜିତ କରାଯିବ। ଦରକାର ପଡିଲେ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ କରିବାକୁ କୁହାଯାଇଛି। ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ହେଲମେଟ ନିୟମ କିପରି କାର୍ଯ୍ୟକାରୀ କରାଯାଉଛି ସେ ନେଇ ପ୍ରତି ସାତଦିନରେ ଥରେ ପରିବହନ କମିସନରଙ୍କୁ ରିେପାର୍ଟ ଦେବାକୁ କୁହାଯାଇଛି।