ମୋତେ ଭୋଟ ଦେଲେ ବର୍ଷକୁ କୋଟିଏ ଟଙ୍କା, ଘର, କାର, ସୁନା ଦେବି ଓ ଜହ୍ନ ମାମୁଁ ପାଖକୁ ବୁଲାଇନେବି

ଚେନ୍ନାଇ,୨୫/୩ : ଆଗକୁ ଥିବା ତାମିଲ୍‌ନାଡ଼ୁ ବିଧାନସଭା ନିର୍‌ବାଚନକୁ ନେଇ ରାଜନୈତିକ ଦଳ ବିଭିନ୍ନ ପ୍ରକାରର ଜିନିଷ ମାଗଣାରେ ଦେବା ପାଇଁ ଲୋକଙ୍କ ପାଖରେ ପ୍ରତିଜ୍ଞା କରୁଥିବା ଦେଖିବାକୁ ମିଳିଛି । କିଛି ଦଳ ନିର୍ବାଚନ ଜିତିବାପରେ ଜନତାଙ୍କୁ ସୁନା, ମୋବାଇଲ୍‌ ଫୋନ୍‌, ଟିଭି, ପଙ୍ଖା, ମିକ୍ସଚର୍‌ ଗ୍ରାଇଣ୍ଡର୍‌, ୱାଶିଂ ମେସିନ୍‌, ଗ୍ୟାସ୍‌ ସିଲିଣ୍ଡର୍‌ ଏବଂ ସୋଲାର୍ କୁକର୍‌ ଦେବା ପାଇଁ ପ୍ରଲୋଭନ ଦେଖାଉଥିବା ଦେଖାଯାଉଛି ।

ଏହି ପରିପ୍ରେକ୍ଷୀରେ ମଦୁରାଇର ଦକ୍ଷିଣ ଆସନରୁ ଜଣେ‌ ସ୍ୱାଧୀନ ପ୍ରାର୍ଥୀ ଲୋକଙ୍କୁ ଚନ୍ଦ୍ରକୁ ନେଇ ଯିବାର ପ୍ରତିଜ୍ଞା କରିଥିବା ଜଣାପଡ଼ିଛି । ଏହି ପ୍ରାର୍ଥୀଙ୍କ ନାମ ଆର୍‌. ସର୍ବାନନ ହୋଇଥିବା ଜଣାପଡ଼ିଥିବା ବେଳେ ସେ ପ୍ରତ୍ୟେକ ଭୋଟରଙ୍କୁ ଆଇଫୋନ୍, ସ୍ୱିମିଙ୍ଗ୍‌ ପୁଲ୍‌ ସହିତ ୩ ମହଲା ଘର, ପ୍ରତି ଘରକୁ ବାର୍ଷିକ ୧ କୋଟି ଟଙ୍କାର ଅଂଶଦାନ, ୨୦ ଲକ୍ଷ ଟଙ୍କାର କାର, ପ୍ରତି ଘର ପାଇଁ ଏକ ଛୋଟ ଆକାରର ହେଲିକପ୍ଟର, ଘରେ କାମ କରିବା ପାଇଁ ରବୋର୍ଟ, ଯୁବ ବ୍ୟବସାୟୀଙ୍କୁ ୧ କୋଟି ଟଙ୍କାର ଫଣ୍ଡ୍, ଦିବ୍ୟାଙ୍ଗଙ୍କ ପାଇଁ ପ୍ରିତି ମାସରେ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ଆର୍‌. ସର୍ବାନନ ଚନ୍ଦ୍ରକୁ ୧୦୦ ଦିନର ଯାତ୍ରା ସହିତ ଚନ୍ଦ୍ର ପୃଷ୍ଠକୁ ଥଣ୍ଡା ରଖିବା ପାଇଁ ୩୦୦ ଫୁଟ୍‌ ଉଚ୍ଚରେ ଏକ ବରଫର ପାହାଡ଼, ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର ଏବଂ ରକେଟ୍‌ ଲଞ୍ଚିଙ୍ଗ୍ ସୁବିଧା ଉପଲବ୍ଧ କରିବା ପାଇଁ ଘୋଷଣା କରିଛନ୍ତି । ଏହାଛଡ଼ା ଆଶାୟୀ ପ୍ରାର୍ଥୀ ଝିଅମାନଙ୍କ ବିବାହ ସମୟରେ ୮ ଶହ ଗ୍ରାମ୍‌ର ସୁନା ଦେବାକୁ ଘୋଷଣା କରିଛନ୍ତି ।