ଭୁବନେଶ୍ବର,୨୬ /୩ : ପିପିଲି ଉପ-ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ଯଦିଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଟିକେଟ୍ ଦୌଡ଼ରେ ସ୍ବର୍ଗତଃ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପଲା ଭାରୀ ରହିଛି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଯାଇଛି ନିଷ୍ପତ୍ତି।
ପ୍ରାର୍ଥୀ ହେଵା ପରେ ରୁଦ୍ରପ୍ରତାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ। ଏବେ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବି। ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି। ଆଶା କରୁଛି ପିପିଲି ଓ ଡେଲାଙ୍ଗବାସୀ ମୋତେ ସହଯୋଗ କରିବେ। ସେ କହିଛନ୍ତି ଯେ, ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା। ମାଙ୍କ ସହଯୋଗ ସର୍ବଦା ମୋ ପାଖରେ ଅଛି ବୋଲି ରୁଦ୍ର କହିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଯୁବ ନେତା ହୋଇଥିବାରୁ ତାଙ୍କୁ ଟକ୍କର ଦେବା ଲାଗି ରୁଦ୍ରଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମଧ୍ୟ ଦଳର କିଛି ପ୍ରଭାବଶାଳୀ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ମତ ରଖିଥିଲେ। ଗତ ଥର ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକ ମାତ୍ର ୧୫,୦୦୦ ଭୋଟରେ ପ୍ରଦୀପ ମହାରଥୀଙ୍କ ଠାରୁ ହାରି ଯାଇଥିଲେ। ତେଣୁ ଏଥର ସେ କଡ଼ା ଟକ୍କର ଦେଇପାରନ୍ତି।
ପିପିଲି ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ଏପ୍ରିଲ ୧୭ ତାରିଖରେ ଏହି ବହୁଚର୍ଚ୍ଚିତ ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।