ମୁଖ୍ୟମନ୍ତ୍ରୀ ହେବ ତ ଏମିତି : ଲୋକଙ୍କ ସମସ୍ୟା ବୁଝିବାକୁ ଜଙ୍ଗଲୀ ରାସ୍ତାରେ ୧୫୭ କିମି ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଇଟାନଗର ,୨୯/୩ : ଜନତାଙ୍କୁ ସିଧାସଳଖ ସେମାନଙ୍କ ପ୍ରତିନିଧି ବାଛିବାର ଅଧିକାର ଦେଇଛି ଭାରତର ଗଣତନ୍ତ୍ର । କିନ୍ତୁ ଥରେ ନିର୍ବାଚିତ ହୋଇଯିବା ପରେ ଅନେକ ସମୟରେ ଜନପ୍ରତିନିଧିଙ୍କ ଦର୍ଶନ ଟିକେ ମିଳିବା ବି କଷ୍ଠସାଧ୍ୟ ହୋଇପଡେ । କିନ୍ତୁ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଉପାନ୍ତ ଅଞ୍ଚଳ ବିଜୟନଗରରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ହାର ନମାନି ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପ୍ରାୟ ୧୫୭ କିଲୋମିଟର ଯାତ୍ରା କରି ପହଞ୍ଚିଥିଲେ । ନିଜ ଟ୍ବିଟର ଆକାଉଣ୍ଟରେ ଭିଡିଓ ସେୟାର କରି ଏହି ବିପଦପୂର୍ଣ୍ଣ ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ଯାହାକୁ ନେଇ ସୋସିଆଲ ମିଡିଆରେ ପେମା ଖାଣ୍ଡୁଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଉଛି ।

ଅରୁଣାଚଳ ପ୍ରଦେଶର ଏକ ଗାଁ ହେଉଛି ବିଜୟନଗର । ଯେଉଁଠିକୁ ପହଞ୍ଚିବା ପାଇଁ ଏବେ ଯାଏଁ ମଧ୍ୟ ରାସ୍ତାଟିଏ ନାହିଁ । ସେଠାକାର ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଲୋକଙ୍କ ଦାବି ମୁତାବକ ସେଠାରେ ପହଞ୍ଚିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆରମ୍ଭ କରିଥିଲେ ଯାତ୍ରା । କାଦୁଅ ଏବଂ ଜଙ୍ଗଲୀ ରାସ୍ତା ଦେଇ ପ୍ରାୟ ୧୫୭ କିଲୋମିଟର ଯାତ୍ରା କରି ବିଜୟ ନଗର ପହଞ୍ଚିଥିଲେ । ରାସ୍ତା ଖରାପ ଥିବାରୁ ତାଙ୍କୁ ପ୍ରାୟ ୧୫ କିଲୋମିଟର ପାଦରେ ଚାଲିଚାଲି ମଧ୍ୟ ଯିବାକୁ ପଡିଥିଲା । ଏଥିପାଇଁ ତାଙ୍କୁ ୨ ଦିନ ସମୟ ଲାଗିଥିଲା । ସେଠା​‌ରେ ପହଞ୍ଚିବା ପରେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ ପେମା ଖାଣ୍ଡୁ କହିଛନ୍ତି ଯେ, ମାର୍ଚ୍ଚ ୨୦୨୨ ସୁଦ୍ଧା ସେଠାକୁ ରାସ୍ତା କାର୍ଯ୍ୟ ଶେଷ ହେବ ଏବଂ ଗାଡିମୋଟର ଯାତାୟତ କରିବ ।