ଓଡିଶାର ୧୫ ସହର ୪୦ ଡିଗ୍ରୀ ଉପରେ, ଟିଟିଲାଗଡ ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର, ୨୯/୩ : ପ୍ରବଳ ଗ୍ରୀଷ୍ମରେ ଡହଳ ବିକଳ ଓଡିଶାବାସୀ । ମାର୍ଚ୍ଚ ମାସ ନସରୁଣୁ ଅସହ୍ୟ ତାତିରେ ଲୋକେ ହେଲେଣି କଲବଲ୍। ଆଜି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୫ଟି ସହର ରହିଛି। ୪୨.୨ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ରାଜ୍ୟର କିଛି କିଛି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଛି। ଆଗାମୀ ୪ ଦିନରେ ପାରଦ ଆହୁରି ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ଏପରିକି ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍ ୱେଭ କଣ୍ଡିସନ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଟିଟିଲାଗଡ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପାଲଟିଛି। ଏହି ସହରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ଝାରସୁଗୁଡାରେ ୪୧.୨ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି।

ସେହିପରି ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ଵରରେ ୪୦.୫ ଡିଗ୍ରୀ, ନୟାଗଡରେ ୪୦.୩, ତାଳଚେରରେ ୪୦.୩, ବୌଦ୍ଧରେ ୪୦, ବାଲେଶ୍ଵରରେ ୪୦ ଏବଂ କଟକର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।